ରାସଗୀତ

ରାସଗୀତ

1929

ଶ୍ରୀ ବୈଷ୍ଣବ ଚରଣ ଦାସ

 

ରାସଗୀତ

(ବସ୍ତ୍ରହରଣେ ଗୋପୀଗଣ)

 

ଆସ ଗୋ ବହନ ଚାରୁଚନ୍ଦ୍ରବଦନା ।

ଉଛୁର ହେଉଛି ପରା ଯିବା ଗୋ,

ସଙ୍ଗାତ ଗୋ ଯିବା ଯମୁନା । ଘୋଷା ।

ଉଠ ଉଠ ପ୍ରାଣସହି                        ନିଶୀ ତ ଯାଉଛି ପାହି

ଦାଣ୍ଡ ହାଟ ବାଟ ଲୋକେ ପୂରିବେ

ସଙ୍ଗାତ ଗୋ ପୂରିବେ ସିନା ।୧।

ଏ ଯେଉଁ ଗୋପନଗର                  ବସ୍ତି ଷୋଳସସ୍ର ଘର

କେ କେତେରୂପେ ଜାଣନ୍ତି ଭଙ୍ଗୀ ଗୋ

ସଙ୍ଗାତ ଗୋ ଭଙ୍ଗୀ ଭାବନା ।୨।

ଏକା ଶ୍ରୀକୃଷ୍ଣଙ୍କୁ ଡର                        ତହିଁକି କର ବିଚାର

ନାନା ନବରଙ୍ଗ ଜାଣେ ନନ୍ଦର

ସଙ୍ଗାତ ଗୋ ନନ୍ଦରକାହ୍ନା ।୩।

ରଜନୀ ନ ପାହୁଁ ଯିବା                  ଦେବତା ପୂଜା କରିବା

ଜଣାଇବା ଦେବୀଙ୍କି ହୃଦୟ ଗୋ

ସଙ୍ଗାତ, ହୃଦୟ ବେଦନା ।୪।

 

କାହିଁକି ମା ଆଉ ଲାଜ                  ବହନ ହୁଅ ଗୋ ସଜ

ସମ୍ପର୍ଣ୍ଣ କରିବା ଆଜ ମନ ଗୋ

ସଙ୍ଗାତ ଗୋ ମନକାମନା ।୫।

 

            (ଅଧିକାରୀ)

 

(ବସ୍ତ୍ରହରଣେ ଶ୍ରୀକୃଷ୍ଣ)

 

ଯମୂନାକୂଳରେ ଅଜି ମୁଁ କଉତୁକ କରିବି ।

ସର୍ବ ଗୋପୀଙ୍କର ବସନମାନ ଆଜି ହରିବି ।।

ମୋର ଆଜ୍ଞା ଘେନି ବହନ ହେଇ ଚଳ ମରୁତ ।

ଗୋକୁଳନାରୀଙ୍କ ଦୂକୁଳ ଘେନି ଆସ ତୁରିତ ।।

 

(ଗୋପୀଗଣ)

 

କାହିଁକି ଏଡ଼େ ଅବିଚାର କଲା କେବଣ ଜନ ?

କେଉଁ ଶତ୍ରୁ ଆମ୍ଭେ ତାହାର ଚୋରାଇଲା ବସନ ।

ଏଣିକି ଗୋ ସଖି ଆମ୍ଭର ସରିଲାଟି ବଡ଼ାଇ ।

କେତେବେଳେ ଅବା ପବନ ଘେନିଗଲା ଉଡ଼ାଇ ।।

 

କହ କହ ପ୍ରାଣସଜନି କହ କିସ କରିବା ।

ଚାଲ ଚାଲ ଯାଇ ଯମୂନାଗଣ୍ଡେ ବୁଡ଼ି ମରିବା ।।

ମହଣରୁ ଲାଜ ବଳିଲା କାହା ମୁଖ ଚାହିଁବା ।

କେଉଁପରି ଗୋପପୁରକୁ ଆଉ ଏଠାରୁ ଯିବା ? ।।

(ଶ୍ରୀକୃଷ୍ଣଙ୍କ ପ୍ରତି ଗୋପୀମାନେ)

ଆହେ ଘନଶ୍ୟାମସୁନ୍ଦର ଶୁଣ ।

ବଢ଼ି ବଢ଼ି ବିକାଶିଲ କି ଗୁଣ ?

ବ୍ରଜଯୁବରାଜ                   ହୋଇଣ ଆପଣ

କରିଅଛ ଆଚ୍ଛା ଉତ୍ତମ ପଣ । ଘୋଷା ।

 

ଆମ୍ଭେ ସକଳ କୁଳବତୀ ନାରୀ ।

ନିତି ପୂଜାକରୁ ହରଗଉରୀ ।

ଆମ୍ଭ କଉତୁକ                   ଆମ୍ଭେ କରୁଥିଲୁଁ

ତୁମ୍ଭକୁ କେ କରୁଥିଲା ବରଣ ? ।୧।

 

ଥାଉ ଭଲପଣ ବସନ ଦିଅ ।

ତୁନି ହୋଇ ଗୋପପୁରକୁ ଯାଅ ।

ରଖିଥାଅ ମନେ                   ଆଉ କେଉଁଦିନେ

ନ କରିବ ଏଡ଼େ ଅନୀତିପଣ ।୨।

 

କାହାକୁ ଏମାନ କହିବା ଆଉ ?

ସ୍ନାହାନଘାଟେ ଡକାଇଚ ଦାଉ ।

ସରିଲା ଏ ଗୋପ                  ମହତ୍ତ୍ୱ ମର୍ଯ୍ୟାଦା

ଏଣିକି ଏମାନ ହେଲା ଭିଆଣ ।୩।

ବ୍ରଜରାଜସୂତ ହୋଇଛ ଯେଣୁ ।

ଅତି ଅନୀତି କରୁଅଛ ତେଣୁ ।

ଏ ଗୁମାନମାନ             ରହିବ ନାହିଁଟି

ମାନଟିକ କଂସରାଜନ ରାଣ ।୪।

ଦେବ କି ନ ଦେବ ବହନ କହ ।

ଶୀତେ ଆମ୍ଭର କମ୍ପୁଅଛି ଦେହ ।

ଯାହା ହେବ ତାହା            ପଛନ୍ତେ ଜାଣିବ

ଆହେ ବଙ୍କାଆଖି ଛନ୍ଦାଚରଣ ।୫।

(ଗୋପୀଙ୍କି ଶ୍ରୀକୃଷ୍ଣ)

ଶୁଣ ଶୁଣ ଆଗୋ ବରଜବାଳି ।

ମୋତେ ଦେଖି କେତେ କର ଢମାଳି ।

କଥା ନ ବୁଝି ବୃଥାରେ ରୋଷ କରି

ବିନାଦୋଷେ କେତେ ଦେଉଛ ଗାଳି । ପଦ ।

 

ବାତ ଉଡ଼ାଇ ନେଉଥିଲା ବାସ,

ରଖିଲାକୁ ମୋର ହୋଇଲା ଦୋଷ ।

ଥାଉ ପ୍ରଶଂସା ପାଇବାର ମୋ ଶିରେ,

ଅକୀର୍ତ୍ତି ଆଣି ଦେଉଅଛି ଢାଳି ।୧।

 

କରିଛି ଯେଉଁ ବୟସ ବଡ଼ାଇ,

ସେ ନିଜ ଗୁଣ ନେଉଛି ଲୋଡ଼ାଇ ।

ମଦନ ଭୂତ ଲାଗିଲା କି ତୁମ୍ଭଙ୍କୁ,

ବିବସନେ ଜଳେ କରୁଛ କେଳି ।୨।

 

ଏ ଅନୀତି ମାନ କେତେ ସହିବା ?

କେମନ୍ତେ ଏ ଗୋପପୁରେ ରହିବା,

ଦେଖିବାର ଥାଉ ଶୁଣା ନାହିଁ ଆଉ ।

ଯହି ନାରୀମାନେ କଲେଣି ମେଳି ।୩।

 

କଂସକୁ କେତେ କହୁଛ ଡରାଇ,

ଏହିକ୍ଷଣି ପରା ଯିବି ପଳାଇ ।

ତୁନି ହେବାରୁ ବହପ ବଢ଼ିଲା କି ?

କେତେ କେତେ କଥା କହୁଛ ବଳି ।୪।

 

 

ଯେବେ ଏ ତୁମ୍ଭମାନଙ୍କ ବସନ,

ଆସି ଚିହ୍ନି ଘେନିଯାଅ ବହନ ।

ଏତେକେତ ସବୁ ଅନର୍ଥ ତୁଟିଲା,

ଅକାରଣେ କିମ୍ପା କରୁଛ କଳି ।୫।

 

(ଶ୍ରୀକୃଷ୍ଣ ଓ ଗୋପ ସଖାଗଣ)

 

ଶିଶୁଗଣ – ଶୁଣ ଶୁଣ ଆହେ କାଳିଆ କହ୍ନାଇ ।

ଅନ୍ନ ପାଶୋରି ଅଇଲୁଁ ହେତୁ ନାହି ।।

କ୍ଷୁଧାଭରେ କମ୍ପୁଅଛି ଆମ୍ଭ ଦେହ ।

କିସ କରିବୁ ବହନ ଅଜ୍ଞା ଦିଅ ।।

 

ଶ୍ରୀକୃଷ୍ଣ – ଦେଖ ଆଗେ ଦିଶୁଛି ଆଶୋକବନ ।

ଦ୍ୱିଜମାନଙ୍କ ଶାସନ ରମ୍ୟସ୍ଥାନ ।

ଅଗ୍ନି ମୁଖେ ଆହୁତି ଦିଅନ୍ତି ନିତି ।

ଅଭ୍ୟାଗତ ପୂଜାରେ ତତ୍ପର ଥାନ୍ତି ।।

 

ତୁମ୍ଭେ ତାଙ୍କ ନିକଟେ ବହନ ଯାଅ ।

ଆମ୍ଭ ନାମ ଧରିଣ ଦ୍ୱିଜଙ୍କୁ କହ ।।

 

(ଦ୍ୱିଜମାନଙ୍କ ପ୍ରତି ବାଳକଗଣ )

ଆମ୍ଭମାନଙ୍କ ସଦନ ଗୋପଦେଶ ।

ଏଠାବକୁ ଦୂର ସେ ଅଢ଼ାଇ କୋଶ ।

ଆଜରାତ୍ରହୁଁ ଆମ୍ଭେ ଅଇଲୁଁ ବନ ।

ମନେ ନାହିଁ ନ ପାରିଲୁଁ ଆଣି ଅନ୍ନ ।

ନନ୍ଦସୁତ ରାମକୃଷ୍ଣ ବେନିଭାଇ ।

କୁଞ୍ଜବନରେ ଚରାଉଛନ୍ତି ଗାଈ ।

କ୍ଷୁଧାତୁର ହୋଇଣ ଅଛନ୍ତି ବସି ।

ତୁମ୍ଭ ପାଶକୁ ଆମ୍ଭଙ୍କୁ ଦେଲେ ପେଷି ।

ତୁମ୍ଭେ ଆରମ୍ଭ କରିଛ ଯଜ୍ଞକର୍ମ ।

ଅଭ୍ୟସଗତ ପୂଜିବାର ନିଜଧର୍ମ ।

ଦେବା ନ ଦେବା ବହନ କରି କହ ।

କ୍ଷୁଧାର୍ତ୍ତରେ ଆମ୍ଭର କମ୍ପୁଛି ଦେହ ।।

(ଦ୍ୱିଜମାନେ ନ ଶୁଣିବାରୁ ବାଳକଗଣ ପୁନଶ୍ଚ ଗାଇଲେ ।)

ବେଦ ମାର୍ଗରେ ଅଛନ୍ତି ମୋହ ହୋଇ ।

ପରମାର୍ଥରେ ତାଙ୍କର ଜ୍ଞାନ କାହିଁ ।

 

 

ସବୁକାଳେ ସେ ବ୍ରାହ୍ଣଣେ ହଟହଟା ।

ସୀତା ଠାକୁରାଣୀଙ୍କ ପଣନ୍ତ କଟା ।

ଯାହାପାଇଁ କରୁଛନ୍ତି ଏତେ ଧର୍ମ ।

ତାଙ୍କୁ ନ ଚିହ୍ନି ବ୍ରାହ୍ମଣେ ହେଲେ ଭ୍ରମ ।

(ଗୋପ ବାଳକଙ୍କ ପ୍ରତି ଶ୍ରୀକୃଷ୍ଣ)

ଶୁଣ ଶୁଣ ମୋର ବାଣୀ ଶୁଣ ଗୋପପୋଏ ।

ତୁମ୍ଭେମାନେ ଏବେ ଯାଅ ବ୍ରାହ୍ମଣୀଙ୍କ ଯାଏ ।

ତାଙ୍କ ଆଗରେ କହିବ ମୋର ନାମ ଧରି ।

ସେହିକ୍ଷଣି ଅନ୍ନ ଦେବେ ସଂଶୟ ନ କରି ।।

ଜାଣନ୍ତି ସେ ନ୍ୟାୟ ନୀତି ଧର୍ମର ବିଚାର ।

ମୋହପାଦ ତଳେ ମନ ବିଶ୍ୱାସ ତାଙ୍କର ।

(ଦ୍ୱିଜ ନାରୀମାନଙ୍କ ପ୍ରତି ବାଳକଗଣ)

ସାବଧାନେ ଶୁଣ ମାତ ଆମ୍ଭର ଉତ୍ତର ।

ଯେଉଁ କାରଣେ ଆସିଛୁଁ ଆମ୍ଭେ ଏତେଦୂର ।

ବନରେ ଅଛନ୍ତି ରାମକୃଷ୍ଣ ବେନିଭାଇ ।

ତୁମ୍ଭ ପାଶକୁ ଆମ୍ଭକୁ ଦେଲେ ପଠିଆଇ ।

ଉପବନେ ବସିଛନ୍ତି ହେଇ କ୍ଷୁଧାତୁର ।

କିଛି ଅନ୍ନ ଦେଲେ ଆମ୍ଭେ କରିବୁ ଆହାର ।।

 

(ଯଜ୍ଞପତ୍ନୀ ଓ ଯାଜ୍ଞିକ ଦ୍ୱିଜଗଣ)

ପତ୍ନୀ – ତୁମ୍ଭେ ନ ପାରିଲ ଜାଣି,            ନାଟୁଆ କିଶୋର ମଣି,

ନନ୍ଦସୁତ ବନମାଳି, ନେତ୍ର ସଙ୍ଖାଳି ହେ ।୧।

ମଗାଇ ଅଛନ୍ତି ଅନ୍ନ,             ଘେନି ଯାଉଛୁଁ ବହନ,

ଜଞ୍ଜାଳ ନ କର ତୁମ୍ଭେ, ଯାଉଁଛୁ ଆମ୍ଭେ ହେ ।୨

 

ଦେଖିବୁଁ ବଂଶୀଧାରୀଙ୍କି,             ନୀପମୂଳେ ବିହାରିଙ୍କି,

ନୟନ ସଫଳ କରି, ଆସିବୁଁ ଫେରି ହେ ।୩।

ଦ୍ୱିଜ --- ଶୁଣ ଲୋ କୋପନା ଚଣ୍ଡି,                   କେତେ କହୁଅଛ ଭଣ୍ତି ?

ଏକା ଚାପୋଡ଼କେ ଭାଙ୍ଗି, ଦେବୁଁଟି ଭାଙ୍ଗି ଗୋ ।୪।

 

ଶ୍ରୀକୃଷ୍ଣ ସୁନ୍ଦରପଣ,                   ଶୁଣି ବଳିଲା କି ମନ ?

ଦ୍ୱିଜକୂଳର ମହତ୍ୱ, କରିବ ହତ ଗୋ ।୫।

ତୁମ୍ଭେ ସହଜେ ଯୁବତୀ,                   ସେ ଗଉଡ଼ ମୂଢ଼ ଜାତି

ତାର ନିକଟକୁ ଗଲେ, ଥିବ କି ଭଲେ ଗୋ ।୬।

 

କି ବୋଲି ବୋଲିବେ ଜନେ,                   ଅକୀର୍ତ୍ତି ହେବ ଭୂବନେ,

ଶୁଣିଲେ ନୃପତି କଂସ, ମାରିବ ବଂଶ ଗୋ ।୭।

ହରିବ ଆମ୍ଭର ଦାନ,                  ଗୁଆ ନଡ଼ିଆ ଶାସନ,

ରାଜ୍ୟୁଁ କରିବ ବାହାର, ହେବ କାହାର ଗୋ ।୮।

(ଶ୍ରୀକୃଷ୍ଣଙ୍କୁ ଚାହିଁ ବ୍ରାହ୍ମଣୀଗଣ )

ଦେଖ ଦେଖ ସଖି ଦେଖ ଗୋ, ଶ୍ରୀକୃଷ୍ଣଙ୍କ ବଦନ ।

ବିମ୍ବାଧର ହାସ ପ୍ରକଟ, କି ଏ ଶୋଭା ସଦନ ।

ଶିରେ ଶୋହେ କେକୀକଳାପ, ତହିଁ ବକୁଳ ବେଢ଼ା ।

ଜାତି ଯୁଥି କୁନ୍ଦ ସେବତି, ସତୀବର ତବୁଡ଼ା ।

କର୍ଣ୍ଣ ଯୁଗେ ରତ୍ନକୁଣ୍ଡଳ, ଭାଳେ ଚନ୍ଦନ ବିନ୍ଦୁ ।

ନୀଳ ନବଘନେ ଉଦୟ, କି ବା ହୋଇଛି ଇନ୍ଦୁ ।

ବକ୍ର ଭୁରୁ ଶକ୍ରଚାପ ଗୋ, ଚାହାଁଣିର ଛଟକେ ।

ଲାଖି ରହେ ସଖି ମରମେ ମନମୀନ ଅଟକେ ।

ଜମ୍ବୁନଦ କାର ପଦକ, କମ୍ବୁକଣ୍ଠେ ଶୋଭିତ ।

ବୈଜୟନ୍ତୀ ବନମାଳା, ଯେ ଜାନୁ ଯାଏ ଲମ୍ବିତ ।

କଟିତଟେ ପୀତବସନ, ହେମ କଙ୍କଣ କରେ ।

ଗୋଟି ଗୋଟି କ୍ଷୁଦ୍ର କିଙ୍କଣି, ଶୋଭା ମଧ୍ୟଦେଶରେ ।

 

ଚରଣେ ଝୁମୁକି ନୂପୁର ରତ୍ନ କଠାଉ ସାଜେ ।

ନଟବର ବେଶ ହୋଇଣ, କରିଅଛନ୍ତି ବିଜେ ।

ବନ୍ଧା ଦେଇ ପ୍ରାଣ ବନ୍ଦିବା ଶିରୀଛନ୍ଦା ଚରଣ ।

ଆସ ଗୋ ସମସ୍ତେ ପଶିବା, କାହ୍ନୁ ପାଦେ ଶରଣ ।।

 

(ବ୍ରାହ୍ମଣୀମାନଙ୍କ ପ୍ରତି ଶ୍ରୀକୃଷ୍ଣ)

 

ମୋର ବଡ଼ଭାଗ୍ୟ ତୁମ୍ଭେ ହୋଇଲ ପ୍ରସନ୍ନ ।

ସାକ୍ଷାତରେ ଆସି ମୋତେ ଦେଲ ଦରଶନ ।।

 

ହୋଇବି ପବିତ୍ର ଆଜି ଭୁଞ୍ଜି ଯଜ୍ଞ ଅନ୍ନ ।

ତୁମ୍ଭେ ଦୟାବତି ମୋର ନମସ୍କାର ଘେନ ।।

 

ଏହି ଅନୁଗ୍ରହ ରଖି ଥିବ ମୋହଠାରେ ।

କଲ୍ୟାଣ କରିଣ ବିଜେ କର ନିଜପୁରେ ।।

 

(ଶ୍ରୀକୃଷ୍ଣଙ୍କ ପ୍ରତି ବ୍ରାହ୍ମଣୀଗଣ )

 

ଆହେ ବୃନ୍ଦାବନ ଚନ୍ଦ୍ର ଆହେ ପଦ୍ମମୁଖ ।

ନ କର ନିରାଶ ନାଥ ଘେନ ଆମ୍ଭ ଦୁଃଖ ।।

ଘର ବର କୁଳ ଶୀଳ ସକଳ ତେଜିଲୁଁ ।

ଏକା ବଂଶୀଧର ପାଦେ ଶରଣ ପଶିଲୁଁ ।।

 

ନିଜ କୁଳ ମର୍ଯ୍ୟାଦାରୁ ହୋଇଲୁଁ ବାହାର ।

ତୁମ୍ଭେ ନ ରଖିଲେ ଆମ୍ଭେ ହୋଇବୁଁ କାହାର ?

ଏ ଆମ୍ଭ ବାଞ୍ଛିତ ତବପାଦେ ହେବୁଁ ଦାସୀ ।

ମସ୍ତକେ ଖୋଷିବୁଁ ନାଥ ଚରଣ ତୁଳସୀ ।

 

(ବ୍ରାହ୍ମଣୀଙ୍କି ଶ୍ରୀକୃଷ୍ଣ )

 

ମୋହର ବଚନ ଶୁଣ ଆଗୋ ଭାଗ୍ୟବତି ।

ତୁମ୍ଭ ପାଦ ସେବି ଜନେ ସଂସାରୁ ତରନ୍ତି ।।

 

ଦେଖିଲ ମୋ ରୂପ ଯାହା ଭାବୁଥିଲ ଚିତ୍ତେ ।

ପତିପାଦେ ଭକ୍ତିକରି ଭଜୁଥାଅ ମୋତେ ।।

 

ତୁମ୍ଭଙ୍କୁ ସମ୍ପାଦୁ ଥିବେ ପରା ପତିମାନେ ।

ପୂର୍ଣ୍ଣାହୁତି ବେଳେ ହେଲା ଯାଅ ଗୋ ଭୁବନେ ।।

 

(ଗିରିଗୋବର୍ଦ୍ଧନ ପୂଜା)

 

ବିଶ୍ୱରୂପ -ମହାକାୟ ବିଶ୍ୱରୂପ ଦେଖ ହେ ମୋହରି ।

ନକର ନକର ଭୟ ଗୋପ ନରନାରୀ ।

ତୁମ୍ଭ ଭକ୍ତିଭାବେ ଆମ୍ଭେ ସନ୍ତୋଷ ହୋଇଲୁଁ ।

ସାକ୍ଷାତରେ ଆମ୍ଭ ନିଜରୂପ ଦେଖାଇଲୁଁ ।

 

ଏଣି କି ସର୍ବକୁଶଳ ହୋଇଲା ତୁମ୍ଭର ।

ହୋଇଲୁଁ ପ୍ରସନ୍ନ ଏବେ ମାଗ ମାଗ ବର ।।

ଗୋପାଳଗଣ – ଯେବେ ଦୟା କରି ପ୍ରଭୁ ହୋଇଲ ପ୍ରସନ୍ନ ।

ସାକ୍ଷାତରେ ଆମ୍ଭ ଆଗେ କରିବ ଭୋଜନ ।

 

(ବିଶ୍ୱରୂପଙ୍କ ଭୋଜନ ସମୟେ ।)

 

ଗୋପାଳଗଣ – ବଡ଼ ଆଚମ୍ବିତ ଏତ ଆସମ୍ଭବ ହେଲା ।

ଦେଖିବାର ଆଉ ଏହା ଶୁଣାତ ନ ଥିଲା ।।

ତିନିଭୁବନେ ଏମନ୍ତ ଦିଅଁ ଅଛି କାହିଁ ?

କର ବଢ଼ାଇ ସାକ୍ଷାତେ ଦେଉଅଛି ଖାଇ ।।

 

ବିଶ୍ୱରୂପ – ଶୁଣ ହେ ଗୋପାଳେ ଏବେ ମୋହର ବଚନ ।

ଭକ୍ତିଭାବେ ବଶ ମୁହିଁ ଭକ୍ତର ଅଧୀନ ।

ବ୍ରହ୍ମା ଶିବ ସନକାଦି ନ ପାବନ୍ତି ଅନ୍ତ ।

ତୁମ୍ଭେମାନେ ସାକ୍ଷାତରେ କେମନ୍ତେ ଦେଖନ୍ତ ।।

 

ଏକା ନନ୍ଦସୁତ ଯୋଗୁଁ ଆମ୍ଭଙ୍କୁ ଦେଖିଲ ।

ଏତେକାଳେ ସିନା ଭବବନ୍ଧୁ ନିସ୍ତରିଲ ।।

(ଗିରିଗୋବର୍ଦ୍ଧନଙ୍କୁ ନନ୍ଦ ଓ ଗୋପାଳଙ୍କ ସ୍ତବ ।)

ଜୟ ଗିରିଗୋବର୍ଦ୍ଧନ ସିଦ୍ଧ ପୀଠ ।

ଆଜଠାରୁ ପ୍ରଭୁ ତୁମ୍ଭେ ଆମ୍ଭ ଇଷ୍ଟ ।

ସର୍ବମଙ୍ଗଳ ତୁମ୍ଭର ପରସନ୍ନେ ।

ଏକା କଥାଏ ସଂଶୟ ମୋର ମନେ ।।

ଅଜଯାଏ ପୂଜୁଥିଲୁଁ ସୁରରାଜା ।

ଏବେ ନ ପାଇ ତାହାର ବଳିଭୋଜା ।

ତିନିପୁରେ ପ୍ରତାପୀ ସେ ବଜ୍ରଧର ।

ବଜ୍ରାଘାତେ ଉଡ଼ାଇବ ଗୋପପୁର ।

ଏହି କଥାକୁ ସିନା ମାଡ଼ୁଛି ଡର ।

ପ୍ରଭୁ ଜାଣି ତୁମ୍ଭେ ଅନୁଗ୍ରହ କର ।।

 

ବିଶ୍ୱରୂପ --- କିଛି ସନ୍ତାପ ନ କର ବ୍ରଜବାସୀ ।

ତୁମ୍ଭ ଶିରେ ମୁଁ ଢାଳିଛି କୃପାରାଶି ।

ଆମ୍ଭଠାରେ ଅଛି ଏକ ସିଦ୍ଧମନ୍ତ୍ର ।

ପଢ଼ି ଟେକିଲେ ଉଠିବ ପରବତ ।।

 

ଯେବେ ଇନ୍ଦ୍ର ବରଷିବ କୋପକରି ।

ତେବେ ଶ୍ରୀକୃଷ୍ଣ ରଖିବ ଗିରି ଧରି ।।

ସବୁଦିନେ ତାହାଠାରେ ମୋର ସ୍ନେହ ।

ସେ ମୋହର ପ୍ରାଣ ମୁଁ ତାହାର ଦେହ ।।

(ଇନ୍ଦ୍ରଙ୍କ କୋପ)

ଗୋପପୁର ନନ୍ଦ, ତା ସୁତ ଗୋବିନ୍ଦ, ବାଳକ ଅଜ୍ଞାନ ବୁଦ୍ଧି ।

ତାର ବୋଲେ ପଡ଼ି, ନିଜ ଧର୍ମ ଛାଡି, ଭାଙ୍ଗିଲା ମୋ ପୂଜା ବିଧି ।।

ସେ ଛାର ଗଉଡ଼, ବନଜାତି ମୂଢ଼, ତାଙ୍କର ଏଡ଼େ ଗାରିମା ।

ଶୁଣ ହେ ସମସ୍ତେ, ବଜ୍ରବାତ ଘାତେ, ଉଡ଼ାଇବି ଗୋପସୀମା ।।

କରିବି ପ୍ରଳୟ, ସେ ଗୋପଆଳୟ, ଆଖି ଘେନି ନନ୍ଦ ଦେଖୁ ।

କୃଷ୍ଣ ତାର ସୁତ, ବଡ଼ ସାମରଥ, କିପରି ରଖିବ ରଖୁ ।।

ଯାଅ ହେ ଅଠର, ଖଣ୍ଡ ମେଘମାଳ, ବରଷ ପ୍ରଳୟ ନୀର ।

ଚଳ ଆଣଚାଷ, ପ୍ରଚଣ୍ଡ ବତାସ, ଉଡ଼ାଅ ଗୋପନଗର ।।

(ମେଘମାଳ ସହ ଇନ୍ଦ୍ର)

ଗୋପ ବୃନ୍ଦାବନ, ସୀମା ଆୟତନ, ଘୋଟିଲେ କରି ଅନ୍ଧାର ।

ବହିଲା ପବନ, ବରଷିଲା ଘନ, ଯେସନେ ପ୍ରଳୟ ନୀର ।।

 

ବାତ ଝାଙ୍କ ଝାଙ୍କ, ବିଦ୍ୟୁ ବାଙ୍କ ବାଙ୍କ, ଘଡ଼ଘଡ଼ି ଚଡ଼ଚଡ଼ି ।

ଅତି ଉତପାତ, ପଡ଼ଇ ନିର୍ଘାତ, ଘନଘନ ଘଡ଼ଘଡ଼ି ।।

 

କରିଣ ତର୍ଜ୍ଜନ, ଘୋର ଗରଜନ, ଭସ୍ମ ସଙ୍ଗେ ରକ୍ତବୃଷ୍ଟି ।

ଘୁମୁଘୁମୁ ଧ୍ୱନି, ଦୁମଦୁମ ମେଦିନୀ, ଅନେକ ହେଲା ଅରିଷ୍ଟ ।।

(ଇନ୍ଦ୍ରଙ୍କ ପ୍ରତାପ)

ନନ୍ଦର ନବର, ଗୋବର୍ଦ୍ଧନ ମଞ୍ଚ, ମନ୍ଦିର ପଡ଼ିଲା ଟଳି ।

ଭାଜିଲା ଅଟ୍ଟାଳି, ବୃକ୍ଷମାନେ ଢଳି, ପଡ଼ିଗଲା ହାଲହୋଳି ।।

କରି ହମାରବ, ଶୃଙ୍ଗ ପୋତି ଗାବ, ପଳାଇଲେ ଏଣେତେଣେ ।

କେ ବୋଲଇ ରହ, କି କରିବା କହ, ମୋ କୁମର ଗଲା କେଣେ ।।

 

କେ ବୋଲେ ମୋ ପତି, ଗୋ ଗୋଷ୍ଠେ ଅଛନ୍ତି, ସତେକି ଦେଖିବି ଆଉ ।

କେ ବୋଲେ ମଲିଟି, ଅନାଅ ହେଲିଟି, କେ ସହିବ ଏଡ଼େ ଦାଉ ।।

କେ ବୋଲେ ମିତଣୀ, ଶାଶୁ ବୁଢ଼ୀ କାଣି, ସେ ଏବେ ଅଛନ୍ତି କାହିଁ ।

କେ ବୋଲେ ଶ୍ୱଶୁରେ, ଶୋଇଥିଲେ ଘରେ, ଏବେତ ଦେଖିଲି ନାହିଁ ।।

 

ଆଉ କେଉଁ ବୁଢ଼ୀ, ଧରି ଆଶା ବାଡ଼ି, ଲଇଁ ଚାଲେ ପଡ଼ି ଉଠି ।

ଖଣ୍ଡଦୂରେ ଯାଇଁ, ଅଣ୍ଟା ସଳଖଇ, ସହଜେ କୁବୁଜ ପିଠି ।।

(ଶାରଦୀୟ ମହାରାସ ।)

(ଇନ୍ଦ୍ରଙ୍କ ପ୍ରତି ଶ୍ରୀକୃଷ୍ଣ)

ଆରେ ଆରେ ଦୁଷ୍ଟ ବଡ଼ ମନ୍ଦ ପୁରୁହୂତ ।

ବିଚାରି ନ ପାରି ତୁହି କଲୁ କେଡ଼େ କୃତ୍ୟ ।।

ମୋ ସମ୍ପଦେ ଅନ୍ଧ ହୋଇ ନ ଚିହ୍ନିଲୁ ମୋତେ ।

ଦତ୍ତ କରିବା ପଦକୁ ହରିବି କେମନ୍ତେ ।।

ଆଜି ତୋର ଗର୍ବ ଗଞ୍ଜିବି ଗୋବର୍ଦ୍ଧନ ତୋଳି ।

ଯେବେ ମୁଁ ଗୋଲକନାଥ କୃଷ୍ଣ ବନମାଳୀ ।।

(ଶ୍ରୀକୃଷ୍ଣଙ୍କ ହସ୍ତେ ଗୋବର୍ଦ୍ଧନ ଗିରି)

ଯଶୋଦାଙ୍କ ବାତ୍ସଲ୍ୟତା

ଜୀବଧନ ଘନଶ୍ୟାମ

ନେତ୍ର ସମ୍ପତ୍ତି ମୋ କାଳିଆ ଜହ୍ନ ।

ନୀଳ ହାତୀରେ !

(ଏ) ଯଶୋଦା ହୃଦ ଚନ୍ଦନ ।୧।

କାଲିଠାରୁ ଖାଇନାହୁଁ ।

ପ୍ରସନ୍ନ ବଦନ ଦିଶିବ କାହୁଁ ?

ଚିନ୍ତାମଣି ରେ !

(ତୁତ) ନିଶି ଘଡ଼ିକାରେ ଶୋଉ ।୨।

ବଂଶୀ ଅବା କେଡ଼େ ଗରୁ ।

ଧଇଲେ ଏହାତ ସେ ହାତ କରୁ ।

କୃଷ୍ଣଚନ୍ଦ୍ର ରେ !

(ତୁତ) ପିଲାଟି ଦିନରୁ ସରୁ ।୩।

ପେ ଏ ଧରିଥାନ୍ତୁ ଗିରି ।

ବସ ମୋ କୋଳରେ ଭୋଜନ କରି ।

ସୁନାପୁଅଟି !

(ମୋର) ପରାଣ ଯାଉଛି ଥରି ।୪।

(ଶ୍ରୀକୃଷ୍ଣଙ୍କୁ ଇନ୍ଦ୍ରଙ୍କ ପ୍ରାର୍ଥନା)

ଆହେ ଦୀନଜନ ବନ୍ଧୁ

ଭାବଗ୍ରାହୀ ଦୟା ସିନ୍ଧୁ

।।

ଇନ୍ଦ୍ରପଦ ଦେଲ ଯେଣୁ

ଗର୍ବେ ନି ଚିହ୍ନିଲି ତେଣୁ

।।

ତୋ ସମ୍ପଦେ ଅନ୍ଧ ହୋଇ

ଏଣେ ମୋର କାର୍ଯ୍ୟ ନାହିଁ

।।

ଆହେ ପ୍ରଭୁ ପଦ୍ମମୁଖ

(ଶ୍ରୀ) ଚରଣ ସେବାରେ ରଖ

।।

(ଇନ୍ଦ୍ରଙ୍କୁ ଶ୍ରୀକୃଷ୍ଣଙ୍କ ସନ୍ତ୍ୱନା)

ନ କର ତୁ କିଛି ଭୟ

ଦେଇଛି ତୋତେ ଅଭୟ।।

।।

ତୋ ଗର୍ବ କଲି ଗଞ୍ଜନ

କରେ ତୋଳି ଗୋବର୍ଦ୍ଧନ

।।

 

(ପୁନଶ୍ଚ ଇନ୍ଦ୍ରଙ୍କ ପ୍ରାର୍ଥନା )

 

ହେଉ ଦିବ୍ୟ ଅଙ୍ଗୀକାର

କରିବି କିଛି ଗୋଚର

।।

ଆହେ ବୃନ୍ଦାବନଚନ୍ଦ୍ର

ଆଜହୁଁ ନାମ ଗୋବିନ୍ଦ

।।

 

(ଶ୍ରୀକୃଷ୍ଣଙ୍କ ବଂଶୀସ୍ୱନ ପରେ)

ଗୋପୀମାନଙ୍କ ପ୍ରତି ଗୋପାଳଗଣ

(କୁଞ୍ଜବନରେ କାଳିଆ ଦେବତା ବୃତ୍ତେ)

ବ୍ରଜରମଣୀ,ଏକଥା ଅତି ସନ୍ଦେହ । ଘୋଷା ।

ଏ ଯେ ଅନ୍ଧାର ନିଶି,             ତୁମ୍ଭେ ନବବୟସି,

ମାନେ ତ ହୋଇଛ ସମୂହ ।୧।

ଆଗୋ ରମଣୀମଣି,            କହ ସ୍ୱରୂପ ବାଣୀ,

ମନରେ ବିହ୍ୱଳିତା ନୁହ ।୨।

ଦଇବ ପ୍ରତିକୂଳ,             ଆଜ ହେଲ ବାତୁଳ,

ଏଣୁ ସମସ୍ତେ ହେଲ ମୋହ ।୩।

ଏତ ଅତି ଅନୀତି,                   ତୁମ୍ଭେ ଗଲେ ଏ ରାତି,

ଜାତିରେ ହେବଟି ଦୁଃସହ ।୪।

                              (ଶାରଦୀୟ ମହାରାସ)

(ଗୋପାଳଙ୍କ ପ୍ରତି ଗୋପୀଗଣ)

(ଧନମାଳୀରେ ମେତେ ନ କର ଅଳି ବୃତ୍ତେ)

କର ଘେନା ହେ, ଆଉ ନକର ମନା ।

କଦମ ମୂଳରେ ବଂଶୀ ବଜାଉଛନ୍ତି,

ସେ ନବ ନାଗର ଛଇଳ କାହ୍ନା । ଘୋଷା।

ଦଣ୍ଡେ ମାତ୍ର ଶୁଣି ବାଂଶରୀ,            ଏହିକ୍ଷଣି ଆସିବୁ ଫେରି,

ଦେଖି କୃଷ୍ଣମୁଖ, ନାଶି ହୃଦ-ଦୁଃଖ,

ସଫଳ କରିବୁଁ ମନ କାମନା ।୧।

(ଗୋପାଳଙ୍କ ପ୍ରଶ୍ନ)

ଉପରୋକ୍ତ ବୃତ୍ତେ

ବାଇ ହେଲ ଗୋ । ବ୍ରଜ ଅଭିର ନାରୀ ।

ଏ ଗୋପ ନଗରେ,                   ପ୍ରତି ଘରେ ଘରେ,

ନିତି ଯାହା ନାମେ ପଡ଼ଇ ହୁରି ।୧।

 

ତୁମ୍ଭେମାନେ ଗଲେ ତାର କତିକି,

ଜାତି କୁଳ ଆଉ ରହିବଟିକି ?

ସେ ତ ବିଟବର କପଟେ ଭୁଲାଏ,

କୁଳଯୁବତୀଙ୍କି ନୟନ ଠାରି ।୨।

(ଗୋପୀଙ୍କ ଉତ୍ତର)

ଅସମ୍ଭବ ହେ କଥା କର ସମ୍ଭବ ।

ସେ ନନ୍ଦ ନନ୍ଦନ,                   ବୟସରେ ସାନ,

ତାର କାହିଁ ଆନ ବିକାର ଭାବ ।୧।

 

ଗୋପପୁର ଲୋକେ,            ଅଘଟଘଟା,

ବିନା ଦୋଷେ ରୋଷେ,            ବସାନ୍ତି ହଟା,

ମାନିନୀ ଗୌରବେ,            କଳଙ୍କ ଲଗାନ୍ତି,

କାହିଁ ଏମାନଙ୍କୁ ମିଳିବ ଠାବ ।୨।

(ଗୋପାଳଙ୍କ ପ୍ରଶ୍ନ)

ଗଲାକି ଲାଖି ?                  ତୁମ୍ଭ ମାନଙ୍କ ଆଖି,

ଜାତି ମହତକୁ ଛାଡ଼ି ରସୁଛକି ?

ନନ୍ଦର ପୁଅକୁ ସୁନ୍ଦର ଦେଖି ।୧।

 

ନାହିଁ ତିଳେ ଲାଜ ଭୟକୁ ଡର,

ସଦା ଅତି ନଷ୍ଟ ପ୍ରକୃତି ତାର

କେତେବେଳେ କେତେ ବେଶକୁ ଧରଇ,

ଶିରେ ଖୋସିଥାଇ ମୟୁର ପକ୍ଷୀ ।୨।

 

(ଗୋପୀଙ୍କ ଉତ୍ତର)

 

ହେଉ ନିନ୍ଦା ହେ, କେତେ କରୁଛ ଛନ୍ଦା,

ନାହିଁ ନାହିଁ ଭୟ                  ଉଭୟ କୁଳକୁ,

ଆମ୍ଭ ଜୀବନ ତା ଚରଣେ ବନ୍ଧା ୧।

 

ଗୁଣୁଥିବୁଁ ବସି ନାମକୁ ତାର ।

ଶୁଣୁଥିବୁଁ ତାର ମୁଲରୀ ସ୍ୱର ।

ନନ୍ଦର ନନ୍ଦନ                   ହୃଦୟଚନ୍ଦନ

ସେ ତ ଆମ୍ଭ ପ୍ରେମରତନ ଫନ୍ଦା ।୨।

 

(ଗୋପୀଙ୍କ ପ୍ରତି ଶ୍ରୀକୃଷ୍ଣ ପ୍ରଶ୍ନ)

 

ତୁମ୍ଭେ ତ କାମିନୀ                  ଏ ଘୋର ଯାମିନୀ

ଏକେ ଭୟଙ୍କର ବେନି ।

ତେଜି ଲାଜ ଭୟ                  ଯୁବତୀସମୂହ

କି କାର୍ଯ୍ୟେ ହେଲ ଗମନି ।

ଏତ ବିଷମ ସନ୍ଦେହ,

ଏହା ଦେଖି କମ୍ପୁଛି ମୋ ଦେହ ।୧।

 

କହ ସତ୍ୟବାଣୀ                   ବରଜ ତରୁଣି

ଗୋପପୁର ଭଲ ମନ୍ଦ ।

ଧେନ ବତ୍ସା ପଲ                   ଗୋବର୍ଦ୍ଧନ ମଞ୍ଜ

କ୍ଷମେଟି କି ଛନ୍ତି ନନ୍ଦ ?

ମାତା ଯଶୋଦା ସହିତେ,

କୁଶଳରେଛନ୍ତି ନା ସମସ୍ତେ ।୨।

କି ଅବା ରାକ୍ଷସ                   ହୋଇଲେ ପ୍ରବେଶ

ଲୁଟି କଲେ ନଗ୍ର ପୁରୀ ।

ଏଥିପାଇଁ ଅବା                   ସର୍ବ ନବଯୁବା

ମୋ ପାଶେ ଅଇଲ ଡରି ।

ଅତି ଅସମ୍ଭାଳ ହୋଇ,

ନିଶୀ ଅର୍ଦ୍ଧରେ ଅଇଲ ଧାଇଁ । ୩।

କି ବା ସ୍ନେହକରି                  ସକଳ ଆଭିରୀ

ଆସିଅଛ ମେତେ ଦେଖି ।

ଦେଖିଲ ମୋ ଦେହ             ଦଣ୍ଡେହେଁ ନ ରହ

ବାହୁଡ଼ ପଙ୍କଜମୁଖି ।

ନିଜ ମନ୍ଦିରକୁ ଚଳ,

ଲୋକେ ଜାଣିଲେ ହେବ ଚହଳ ।୪।

 

କାହିଁକି ବିଳମ୍ବ                   କରୁଛ ପ୍ରଳମ୍ବ

କୁନ୍ତଳା ସମସ୍ତେ ତଳ ।

ସୁତ ବିତ୍ତ ଗୃହ             କୀରତିସମୂହ

ନିଜ ଧର୍ମ ଇଷ୍ଟ ପାଳ ।

ଯେହୁ ନିନ୍ଦାକୁ ଡରନ୍ତି,

ସେହୁ ସିନା ମହତ୍ୱ ବୋଲାନ୍ତି ।୫।

 

ପତି ପାଦେ ସେବ                   କର ଭକ୍ତିଭାବ

କେବଳ ବିଶ୍ୱାସ ମୂଳ ।

ସ୍ୱଧର୍ମକୁ ପ୍ରତି                  ପାଳିଲେ ଯୁବତୀ

ଲଭନ୍ତି ସକଳ ଫଳ ।

ପତିବ୍ରତାରେ ସେ ଲେଖା,

କୃତ ଉଜ୍ଜ୍ୱଳ ବିକାଶେ ଶିଖା ।୬।

ଏହି ଅନୁକମ୍ପା                   ରଖିଥିବ ଚମ୍ପା

ବରନୀମାନେ ମୋଠାରେ ।

ଏକାନ୍ତରେ କାନ୍ତ                   ସେବାବେଳେ ମୋତେ

ଭାବୁଥିବ ସେହିଠାରେ ।

ମୋର ଏତିକି ମାଗୁଣି,

ପୁର୍ଣ୍ଣ କରାଅ ରମଣୀମଣି ।୭।

 

(ଗୋପୀମାନଙ୍କ ଉତ୍ତର)

ରାଗ-ରାମକେରୀ

ଯାହା ଆଜ୍ଞାକଲ ଆପଣ କୁଳଶୀଳ ଆଚାର ।

ପତି ସେବା ଜାତି ମହତ୍ୱ ନ୍ୟାୟ ନୀତି ବିଚାର ।।

ନିଶ୍ଚଏଁ ଉଚିତ ବଚନ କେବେ ମିଥ୍ୟା ନୁହଇ ।

ମନର ମୂଳେ ଏ ସକଳ ସିଦ୍ଧିମାନ ରହଇ ।।

ଆମ୍ଭ ମନକୁ ହେ ଆମ୍ଭର ପରବଶ ହେଲାଣି ।

ମୂରଲୀ ଆମ୍ଭର କର୍ଣ୍ଣରେ ଗୁରୁଦୀକ୍ଷା ଦେଲାଣି ।।

ତାଙ୍କ ଧର୍ମରେ ପ୍ରବୃତ୍ତି କି କରିଦେଲେ ଏ ଜ୍ଞାନ ।

ସୁତ ବିତ୍ତ ଗୃହ ଦ୍ୱନ୍ଦରୁ ତୁଟାଇଲେ ସେ ମନ ।।

ମନ୍ତ୍ର ମୂର୍ତ୍ତି ସିଦ୍ଧ କରାଇ ତତ୍ତ୍ୱ ଦେଲେ ଚିହ୍ନାଇ ।

ଭବେ ତୁମ୍ଭ ଇଷ୍ଟ ଦେବତା ନନ୍ଦପୁଅ କହ୍ନାଇ ।।

ସେହି ଉପଦେଶ ପାଇଣ ଆମ୍ଭେ ନ ଜାଣୁ ଆନ ।

ନୀଳମଣି ମାଳା ଧରିଣ କରୁଅଛୁଁ ଭଜନ ।।

କଳଙ୍କ କୌପୀନ ପହୁରି ବଇରାଗି ହୋଇଲୁଁ ।

ବନପରିକ୍ରମା କରିବାପାଇଁ ଏଥି ଅଇଲୁଁ ।।

ନିଶିଦିବା ବସି ଭାବନା କରୁଥିଲୁଁ ଯାହାକୁ ।

ଖୋଜି ଖୋଜି ଭେଟ ପାଇଲୁଁ ନୀପମୂଳେ ତାହାଙ୍କୁ ।

 

ଏ ଅଭୟ ପାଦପଙ୍କଜେ ପଶୁଅଛୁଁ ଶରଣ ।

ରଖ ବା ନ ରଖ ଯେ ଇଚ୍ଛା ଆହେ ଛନ୍ଦାଚରଣ ।।

 

(ଶ୍ରୀକୃଷ୍ଣଙ୍କ ଉକ୍ତି )

ଆଗୋ ମହା ଭାଗ୍ୟବତୀ ପରମ କଲ୍ୟାଣୀ ।

ଏ ସଂସାରେ ତୁମ୍ଭେ ପ୍ରେମଭକ୍ତି ଶିରୋମଣି ।।

ତୁମ୍ଭ ମନ ବୁଝିବାକୁ କହୁଥିଲି ଛନ୍ଦ ।

ଆସ ରାସ ରଚିବା ଗୋ ହୋଇଣ ଆନନ୍ଦ ।।

(ମଣ୍ଡଳ କରେ ନୃତ୍ୟ)

(ଶ୍ରୀକୃଷ୍ଣ ଆଦର୍ଶନ ହେତୁ ଗୋପୀମାନଙ୍କର ତରୁଲତା ପ୍ରଭୃତିଙ୍କୁ ପ୍ରଶ୍ନ ।)

(କୀର୍ତ୍ତନ ସ୍ୱର)

ଆଗୋ ଛୁରୀ ଅନା                  ସେ ଛଈଳ କାହ୍ନା

ଛନ୍ଦେ ବାନ୍ଧିଥାଇ ଚୂଳ ।

ତ୍ରୀଭଙ୍ଗ ମୂରତି                  ମୂରଲୀ ବଜାନ୍ତି

କେଳି କଦନ୍ବର ମୂଳ ।

ତାଙ୍କୁ ଦେଖିଲ କି କହ, ? ଆମ୍ଭଠାରେ ନିଦାରୁଣ ନୁହ ।୧।

 

ଆଗେ ଜାତୀ ଯୁଥି            ମାଳତି ସେବତି

ଦେଖିଛକି କାଳିଆଙ୍କୁ ।

ନଟବର ନବ            ରଙ୍ଗିଆ କିଶୋର,

ଗୋପସୁତ ମେଳିଆଙ୍କୁ

ରଙ୍ଗ ଯାମୁ ଡାଳିଆଙ୍କୁ, କେକୀପୁତ ଚନ୍ଦ୍ର ଚୂଳିଆଙ୍କୁ ।୨।

ଶୁଣ ଗୋ ତରାଟ                  ଆମ୍ଭର ମୁରାଟ

ଘନଶ୍ୟାମ ଛଡ଼ାଇଲେ।

ପ୍ରେମରସ ବଢ଼ାଇଲେ (ଏବେ), ବନେ ଆଣି ଛଡ଼ାଇଲେ ।୩।

ଆଗୋ ନାଗେଶ୍ୱର             ସେ ନବ ନାଗର

ନାନା ଭଙ୍ଗୀବିନୋଦିୟା ।

କହ ଦୟା ବହି                  ହେ ତମାଳ କାହିଁ

ଗଲେ ତୁମ୍ଭ ବରନିଆ ।

ଦେଖିଥିଲେ କହ ଚମ୍ପା, କେଣେ ଗଲେ ନାରୀ ହୃଦ କମ୍ପା ।୪।

କହ ଗୋ ତୁଳସୀ                  କୃଷ୍ଣଙ୍କ ବିଳାସି

ଦେଖିଛ କି ବକାରିଙ୍କି ।

କହ ଗୋ ଅସନ                  ପାଲଟା ବସନ

ଚୋରା ମୂରଲୀ ଧାରୀଙ୍କି ।

ସତ୍ୟ କରି କହ କିଆ, କାହିଁଗଲେ ଧାଈ ପ୍ରାଣଖିଆ ।୫।

 

ଶୁଣ ଗୋ କଦମ୍ବ                  ଆମ୍ଭ ହୃଦଦମ୍ଭ

ଭାଜିଲାଟି ନିଶ୍ଚେଁ ଜଣ ।

ହେ ସଖି ମନ୍ଦାର                   ଏ ଘୋର ଅନ୍ଧାର

କାଳେ କର ପରିତ୍ରାଣ ।

ଶୁଣିଥାଅ ଚୂତମାନେ, ଚ୍ୟୁତ ହେଲୁଁଟି ଅଚ୍ୟୁତ ବିନେ ।୬।

 

ଆହେ ଶାରୀ ଶୁକ                  ନୀଳ କଣ୍ଠ ପିକ

ଦେଖିଛ କି ପଦ୍ମନେତ୍ର ।

ହେ ଭ୍ରମର କହି-                  ଦିଅ ଥରେ କାହିଁ-

ଗଲେ କି ତୁମ୍ଭର ମିତ୍ର ।

ତୁମ୍ଭ ତାଙ୍କ ଗୁଣ ଏକ, ତୁମ୍ଭେ ଦୁହେଁ ଦଗାବାଜି ଲୋକ ।୭।

 

ଶୁଣ ହେ ବରାହ                  ହରିଣ ସମୂହ

କେ ଦେଖିଛ ଯେବେ କହ ।

ଆହେ ନବଘନ,                   ଶ୍ୟାମ ନବଘନ

ଦେଲେଣି ଅତି ବିରହ ।

କହିଦିଅ ଧୀର କରି, ତୁମ୍ଭପୁରେ କି ଅଛନ୍ତି ହରି ।୮।

 

 

 

(ପଦ ଚିହ୍ନକୁ ଚାହିଁ ଗୋପୀଗଣ।)

ଦେଖ ଦେଖ ଆଗୋ ପ୍ରିୟ ସଙ୍ଗାତୁଣି ।

ଏହି ଦିଗେ ଯାଇଛନ୍ତି ବେନୁପାଣି ।୧।

ଲୁଚିଛନ୍ତି ଏହି ବନେ ନନ୍ଦଚାଟ ।

ଆସ ଆସ ବହନ ପାଇବା ଭେଟ ।୨।

 

ଦେଖ ଗୋ ଏ କାହା ପାଦ ଚିହ୍ନ ଦେଖ ।

ଯବ ଧ୍ୱଜ ମୀନ ଉର୍ଦ୍ଧ୍ୱରେଖା ଶଙ୍ଖ ।୩।

ଊନବିଂଶ ଲକ୍ଷଣରେ ପରିପୂର୍ଣ୍ଣ ।

ବାଲିପରେ ଦିଶୁଛି କି ଶୋଭାବନ ।୪।

ଯେଉଁଠାରେ ପାଦ ଚିହ୍ନ ଅଛି ପଡ଼ି ।

ଗନ୍ଧଲୋଭେ ଭୃଙ୍ଗମାନେ ଛନ୍ତି ବେଢ଼ି ।୫।

ବାମେ ବାମା ଦକ୍ଷିଣରେ ବଂଶୀଧାରୀ ।

ଗତି କରିଛନ୍ତି କର ଧରାଧରି ।୬।

ନବ କୁଙ୍କୁମ ବରନ ଦିଶେ ଯହିଁ ।

ନାରୀ ମଣି ପାଦ ଚିହ୍ନ ଜାଣ ସେହି ।୭।

ଯହି ଯହିଁ ସେ ପୟର ଅଛି ପଡ଼ି ।

କାହିଁପାଇଁ ସେ ସ୍ଥାନ ଯାଇଛି ଜଡ଼ି ।୮।

ଦେଖ ସଖି ମକରନ୍ଦ ଝର ଝର ।

ବହିବାରୁ ବାଲି ତିନ୍ତି ଜର ଜର ।୯।

ସଖି ଏତ ବିଷମ ସମାସ୍ୟା ହେଲା ।

ଜଳେ ଜଳଜ ଜନମ ଜଣାଥିଲା ।୧୦।

ବ୍ରଜସ୍ଥଳେ ବାଲିକୁଦେ ଦେଖ ଦେଖ ।

ଚିତ୍ର ପଦ୍ମ ଫୁଟିଛନ୍ତି ଲକ୍ଷ ଲକ୍ଷ ।୧୧।

ଆସ ଆନନ୍ଦରେ ସର୍ବ୍ବ ନବ ଯୁବା ।

ମହାଭାବେ କର ପାଦ ରଜ ସେବା ।୧୨।

 

(ଶ୍ରୀକୃଷ୍ଣ ଓ ବୃନ୍ଦାବତୀଙ୍କ ଉକ୍ତି ପ୍ରଋକ୍ତି ।)

(କୀର୍ତ୍ତନ ସ୍ୱର)

 

କୃଷ୍ଣ -- ଦେଖ ସେହି ନାଗେଶ୍ୱର,            ଦିଶଇ କେଡ଼େ ସୁନ୍ଦର,

ତୁମ୍ଭରି ସହିତ ହୋଇଅଛି ।

ଯୁବତୀ ପାଶରେ ଯୁବା,             ଥିଲେ ଏହି ପ୍ରାୟେ ଶୋଭା,

କାହିଁପାଇଁ ଲଜ୍ଜିତା ମୃଗାକ୍ଷୀ, ସୁନ୍ଦରି ଗୋ !

କାହିଁପାଇଁ ଲଜ୍ଜିତ ମୃାଗାକ୍ଷୀ ।୧।

 

 

ବୃନ୍ଦା – ଶୁଣ ହେ ନାଗରମଣି,            ନାଟୁଆ ତ୍ରିଭଙ୍ଗ ଠାଣି,

ଷଟ୍ପଦର ଚିତ୍ତ ସ୍ଥିର ନୋହେ ।

ନାନାଦି କୁସୁମେ ଭୋଗୀ,             ଦଣ୍ଡେ କ୍ଷଣେ ଅନୁରାଗୀ,

ତାକୁ ତେଜି ଆନ ପାଶେ ଯାଏ, ସୁନ୍ଦର ହେ !

ତାକୁ ତେଜି ଆନ ପାଶେ ଯାଏ ।୨।

କୃଷ୍ଣ – ଆଗୋ ବରଜ ଯୁବତୀ,            ପ୍ରାଣ ପ୍ରିୟେ ବୃନ୍ଦାବତୀ,

ଭ୍ରମର ସହଜ ଗୁଣ ଶୁଣ ।

ଅନ୍ୟ କୁସୁମେ ବିହାର,             ବହି ରଙ୍ଗେ ପ୍ରୀତି ତାର,

ପଦ୍ମିନୀର ଅଧୀନ ସେ ଜାଣ, ସୁନ୍ଦରୀ ଗୋ !

ପଦ୍ମିନୀର ଆଧୀନ ସେ ଜାଣ ।୩।

 

(ଶ୍ରୀକୃଷ୍ଣଙ୍କ ଅନ୍ତର୍ଦ୍ଧାନ ପରେ ବୃନ୍ଦାବତୀ ଶୋକ ।)

ନାଥ ଆସ ଆସ । ନକର ନିରାଶ । ଘୋଷା।

କେହି ମୋ ସଙ୍ଗତେ ନାହିଁ,             ନିଶାକାଳେ ଯିବି କାହିଁ ।

ପ୍ରାଣନାଥ ହେ, ପ୍ରାଣନାଥ ହେ !

କେଣେ ଯିବି ନ ଜାଣଇଁ ପଥ ହେ ।୧।

ଗୋପୀ ସଙ୍ଗ ଛଡ଼ାଇଲ,             ଅନୁରାଗେ ଜଡ଼ାଇଲ,

ପଦ୍ମମୁଖ ହେ, ପଦ୍ମମୁଖ ହେ !

ନିରେଖ ହେଲିଟି ବାରେ ରଖ ହେ ।୨।

ପ୍ରେମ ରସ ବଢ଼ାଇଲ,             ବନେ ଆଣି ପଢ଼ାଇଲ,

ଏ କିରୀତି ହେ, ଏ କିରୀତି ହେ,

ନାରୀମାରି ଅର୍ଜିବ କି କାର୍ତ୍ତି ହେ ।୩।

ତୁମ୍ଭେ ପରା କୃପାସିନ୍ଧୁ,             ବ୍ରଜପୁର କୀର୍ତ୍ତିଇନ୍ଦୁ,

ଜଣାଥିଲା ହେ, ଜଣାଥିଲା ହେ,

ଏବେ ସେତ ବିପରୀତ ହେଲା ହେ ।୪।

ମୋଠାରେ ହେଲ କୃପଣ,             ଏ କେଉଁ ରସିକ ପଣ

ଭାବଗ୍ରାହୀ ହେ, ଭାବଗ୍ରାହି ହେ, !

ନୁହ ନୁହ ସ୍ତ୍ରୀ ହତ୍ୟାରେ ଗ୍ରାହୀ ହେ ୫।

ମୁଁ ତ ଅବଳା ଯୁଗରେ, ଏତେ             କୁଟ କିମ୍ପା ମୋତେ,

ପୀତପଟ ହେ, ପୀତପଟ ହେ !

ତୁମ୍ଭେ ପରା ନାଗରମୁକୁଟ ହେ ।୬।

ପିଣ୍ଡ ପ୍ରାଣ ପଦେ ବିକି,             ହୋଇଛି ପରା ସେବତୀ,

ଜଗଜ୍ଜିଣା ହେ, ଜଗଜ୍ଜିଣା ହେ ।

ପ୍ରଭୁଙ୍କୁ ଏ ହେବ ପରା ଉଣା ହେ ।୭।

 

 

 

 

(ଶ୍ରୀକୃଣ୍ଣ ଅଦର୍ଶନେ ସବୁ ଗୋପୀଙ୍କ ଖେଦ ।)

 

ଡାକୁଅଛୁଁ ଏତେ ଗୋପବାଳୀ

କାହିଁଅଛି ଆସ ବନମାଳି ।୧।

ଆହେ ସୁନ୍ଦର ପଙ୍କଜମୁଖ ।

ବାରେ ଦେଖାଦେଇ ପ୍ରାଣ ରଖ ।୨।

ଆହେ ରସିକ ରମଣୀରଙ୍କା ।

ଆହେ ମୋହନ ମୂରଲୀଫୁଙ୍କା ।୩।